ବିଶ୍ଵ ବିଜୟୀ ଦକ୍ଷତାରେ ଓଡ଼ିଶା, ବିଶ୍ଵ ସର୍ବୋତ୍ତମ

ବାଛୁରି କାନ୍ଧରେ ହଳ

17 ଜୁଲାଇ 2017
ଶେୟାର କରନ୍ତୁ :

ଗତ ଥର ବାକି ରହିଥିବା କଥାଟିମାନ ଭିତରୁ ଆଜି ଆଉ ତିନୋଟି ବିଷୟରେ ଲେଖୁଛି। ପ୍ରଥମଟି ନିଜକୁ ନେଇ, ଦ୍ବିତୀୟଟି କର୍ମକ୍ଷେତ୍ରରେ କିଭଳି ଜଣଙ୍କ ଅଧୀନରେ କାମ କଲେ ଭଲ, ତା’ ନେଇ। ଏବଂ ଶେଷଟି ପାରିବାରିକ ଦାୟିତ୍ବ ନେଇ।

ଜଣେ ଯେତେବେଳେ କୌଣସି କ୍ଷେତ୍ରରେ ଟ୍ରେନିଙ୍ଗ୍‌ ନିଏ, ସେତେବେଳେ ତାକୁ ସେଇ ଗୋଟିଏ ବିଷୟରେ ଏକାଗ୍ରତାର ସହିତ କାମ ଶିଖିବାକୁ କୁହାଯାଏ। ବୈଷୟିକ ଶିକ୍ଷା କ୍ଷେତ୍ରରେ ଏଭଳି ମନୋନିବେଶ କରିବା ଜରୁରୀ, କାରଣ ଏଥିରେ ଜଣକୁ କେବଳ ପୋଥିଗତ ବିଦ୍ୟା ଆହରଣ କରିବାକୁ ହୁଏ ନାହିଁ, ତାହା ସହିତ ବ୍ୟବହାରିକ ଜ୍ଞାନର ମଧ୍ୟ ଆବଶ୍ୟକତା ରହେ। ଶିକ୍ଷା ପରେ ଚାକିରି। କର୍ମକ୍ଷେତ୍ରରେ ଯଦି ଜଣେ କେବଳ ନିଜ ଶିଖିଥିବା କ୍ଷେତ୍ରରେ ସୀମିତ ରହିଯିବ ଏବଂ ପାରିପାର୍ଶ୍ବିକ ଜଗତ ପ୍ରତି ଧ୍ୟାନ ନ ଦେବ, ତାହେଲେ ତାହାର ଉନ୍ନତି ମଧ୍ୟ ସେଇଭଳି ସୀମିତ ହୋଇଯିବ। ଉଦାହରଣଟିଏ ଦେଉଛି। ମେସିନ୍‌ ଅପରେଟର୍‌ଟିଏ ଶିକ୍ଷା ପରେ ଚାକିରି କରିବାକୁ ଆସି ମନଯୋଗ ଦେଇ ସୂଚାରୁ ଭାବରେ କାମ କରିଲେ ହୁଏତ ମନେ କରିବ ଯେ ଯଥେଷ୍ଟ। କାହାର ଅଭିଯୋଗ କରିବାର କିଛି ନ ଥିବ। କିନ୍ତୁ ସେଇ ମଣିଷଟି ଯଦି ନିଜ ଚେଷ୍ଟାରେ ସମ୍ପୂର୍ଣ୍ଣ ସଂସ୍ଥାଟି କେମିତି ଚାଲିଛି, କଞ୍ଚା ମାଲ ଆସିବାଠୁଁ ନେଇ ଜିନିଷ ରପ୍ତାନୀ ପର୍ଯ୍ୟନ୍ତ କାର୍ଯ୍ୟ କିଭଳି ହେଉଛି, ତାହା ଶିଖିବାକୁ ଚେଷ୍ଟା କରେ, ତାହେଲେ ତା’ର ଜ୍ଞାନର ପରିଧି ବୃଦ୍ଧିପାଇବ। ବର୍ତ୍ତମାନର ଯୁଗରେ ପୃଥିବୀର ଅଧିକାଂଶ ସଂସ୍ଥା ସେମାନଙ୍କ କର୍ମଚାରୀମାନଙ୍କ ଭିତରେ ଏଇ ଗୁଣଟି ଦେଖିବାକୁ ଚାହାନ୍ତି।

ନୂତନ ଜ୍ଞାନ ଆହରଣ କରିବାକୁ ହେଲେ ସମୟ ଓ ପରିଶ୍ରମ- ଉଭୟର ଆବଶ୍ୟକତା ହୋଇଥାଏ। କିନ୍ତୁ ଅନେକେ ମନେ କରନ୍ତି ଯେ ପାଠ ଶେଷ କରି ଚାକିରି ଆରମ୍ଭ କଲେ ପରିଶ୍ରମର ଦିନକାଳ ଶେଷ। ଏଥର କେବଳ ରୋଜଗାର ଓ ଫୁର୍ତ୍ତିର ସମୟ। କିନ୍ତୁ ପ୍ରକୃତ ପକ୍ଷରେ ଏଇଟା ପୂର୍ବ ଅପେକ୍ଷା ଅଧିକ ପରିଶ୍ରମ କରିବାର ସମୟ। ମୁଁ ଦେଖିଛି, ନୂଆ ଚାକିରି ଆରମ୍ଭ କରିଥିବା ପିଲାଙ୍କ ମଧ୍ୟରୁ ବେଶ୍‌ କେତେଜଣ ପରିଶ୍ରମ-କାତର ହୁଅନ୍ତି। ଅନେକ ବାପା, ମା’ ମଧ୍ୟ ପିଲାମାନେ ଅଧିକ ପରିଶ୍ରମ କରିବାର ଦେଖିଲେ ବ୍ୟସ୍ତ ହୁଅନ୍ତି। ତା’ ନେଇ ଶରୀର ଯଦି ଅଳ୍ପ ଅସୁସ୍ଥ ହୋଇପଡେ, ତାହେଲେ ଚାକିରି ଛାଡି ଫେରି ଆସିବାକୁ ମଧ୍ୟ ଉପଦେଶ ଦିଅନ୍ତି। କିନ୍ତୁ ମନେ ରଖିବାକୁ ହେବ ଯେ ଚାକିରି ଆରମ୍ଭର ପ୍ରଥମ ପାଞ୍ଚ ବର୍ଷ ପରିଶ୍ରମ କରି ଅଭିଜ୍ଞତା ସାଉଁଟିବାର ସମୟ। ଏହି ସମୟରେ କିଭଳି ମଣିଷଙ୍କଠାରୁ କାମ ଶିଖିବାକୁ ହେବ, ତାହା ଖୁବ୍‌ ଜରୁରୀ। ଅର୍ଥାତ୍‌, ଜଣଙ୍କର କିଭଳି ବସ୍‌ଟିଏ ହେଲେ ଭଲ? ଯିଏ ମିଠା କଥା କହେ, ହାଲୁକା କାମ ଦିଏ, ତୃଟିକୁ ଅଦେଖା କରିଦିଏ ନା ଯିଏ ଅଧିକା କାମ କରାଏ, ସାଙ୍ଗ ଭଳି ବ୍ୟବହାର ନ କରି କାମରେ ଶୃଙ୍ଖଳା ଖୋଜେ? ହସଖୁସିଆ ହାଲୁକା କଥା କହୁଥିବା ମଣିଷଟିଏ ଯେତେ ଭଲ ଲାଗୁ ନା କାହିଁକି, ମନେ ରଖିବାକୁ ହେବ ଯେ କଠିନ ଶିକ୍ଷକଙ୍କର ଛାତ୍ର ହେଲେ ହିଁ ଜଣେ କର୍ମଜୀବନରେ ଉନ୍ନତି କରିପାରିବ।

ଶେଷ କଥାଟି ପାରିବାରିକ ଦାୟିତ୍ବ ନେଇ।

ମୋର ପୂର୍ବତନ ସଂସ୍ଥା ମାଇଣ୍ଡଟ୍ରିର ଏକ ଅଭିଜ୍ଞତା ବିଷୟରେ ଲେଖୁଛି। କମ୍ପାନୀ ନୂଆ ଆରମ୍ଭ ହେବା ବେଳେ ଆମେ ସ୍ଥିର କଲୁ ଯେ ଭବିଷ୍ୟତର ଚାହିଦାକୁ ଆଖିରେ ରଖି ଆମେ ଗୋଟିଏ ଆଗତ ଟେକ୍‌ନୋଲୋଜି ନେଇ କାମ ଆରମ୍ଭ କରିବୁ। ଏଥିପାଇଁ ସଂସ୍ଥାର ଜଣେ ଶ୍ରେଷ୍ଠ ଟେକ୍‌ନୋଲୋଜିଷ୍ଟ୍‌ଙ୍କୁ ଟିମ୍‌ ଗଢିବାର ଦାୟିତ୍ବ ଦିଆଗଲା। କମ୍ପାନୀର କେତେଜଣ ଯୁବ ଇଞ୍ଜିନିୟର କାମ ଶିଖିବାରେ ଲାଗିଗଲେ। କାମ ଶିଖିଲେ, ପୁଣି ଶିଖି ଅନ୍ୟକୁ ଶିଖାଇଲେ। ଦିନେ ଟେକ୍‌ନୋଲୋଜିଷ୍ଟ୍‌ ଜଣକ ମନଖରାପ କରି କହିଲେ ଯେ ଅନ୍ୟ ଏକ ସଂସ୍ଥାରେ ଅଧିକ ଦରମାରେ, ଗୋଟିଏ ସାଧାରଣ ଚାକିରି ପାଇଁ ଜଣେ ଇଞ୍ଜିନିୟର୍‌ ଚାକିରି ଛାଡି ଚାଲିଯିବାକୁ ବସିଛି। ମୁଁ ଆଶ୍ଚର୍ଯ୍ୟ ହେଲି। ସମସ୍ତ ଦେଶରେ ଯେଉଁ ଜିନିଷଟି ଶିଖିବା ବିରଳ, ସେଇ ସୁବିଧା ମିଳିବା ସତ୍ତ୍ବେ କେମିତି ସେ କେବଳ ଟଙ୍କା ପାଇଁ ଚାଲିଯିବା କଥା ଭାବିଛି? ମୁଁ ଇଞ୍ଜିନିୟର୍‌ଙ୍କୁ ଦେଖା କରିବାକୁ ଚାହିଁଲି।

ବିହାରର ଗ୍ରାମାଞ୍ଚଳର ପିଲାଟି। ବାପା ଚାଷୀ। ପରିବାରରେ ସମସ୍ତେ ଅଳ୍ପଶିକ୍ଷିତ। ପିଲାଟି ଯେତେବେଳେ ଇଞ୍ଜିନିୟରିଙ୍ଗ୍‌ ପାସ୍‌ କରି ଚାକିରି ପାଇଲା, ସେତେବେଳେ ପଚାଶ ବର୍ଷର ବାପା ନିଜକୁ ଦାୟିତ୍ବମୁକ୍ତ କରିବା ପାଇଁ ଘରପରିବାରର ଦାୟିତ୍ବ ପୁଅ ମୁଣ୍ଡରେ ଥାପିଦେଲେ। ଘର ଚଳେଇବାର ଦାୟିତ୍ବ, ପରିବାରର ପ୍ରତିଟି ସଦସ୍ୟଙ୍କର ଛୋଟ ବଡ ଦାୟିତ୍ବ। ଏସବୁ ଭିତରେ ତା’ର ଦରମା ଟଙ୍କା ଯଥେଷ୍ଟ ହେଲା ନାହିଁ। ଅନ୍ୟନ୍ୟୋପାୟ ହୋଇ ନିଜର ଉଜ୍ଜଳ ଭବିଷ୍ୟତର ସମ୍ଭାବନାକୁ ଆଡେଇ ଦେଇ କେବଳ କିଛି ଅଧିକା ଅର୍ଥ ପାଇଁ ସେ ଅନ୍ୟ ଚାକିରି ଆଡକୁ ମୁହାଁଇବାକୁ ବାଧ୍ୟ ହେଲା।

ପ୍ରାୟ ଅଧିକାଂଶ ଏକୋଇଶ ବାଇଶ ବର୍ଷରେ ଚାକିରି ଜୀବନ ଆରମ୍ଭ କରନ୍ତି। କିନ୍ତୁ ମନେରଖିବାକୁ ହେବ ଯେ ସେ ଚାକିରି ପ୍ରକୃତ ଚାକିରି ନୁହଁ, କେବଳ ଭବିଷ୍ୟତ ପାଇଁ ପ୍ରସ୍ତୁତି। ଚାକିରିର ପ୍ରଥମ ପାଞ୍ଚ ସାତ ବର୍ଷ କେବଳ କାମ ଶିଖିବାର ବେଳ। ଏହି ସମୟରେ ଅର୍ଜନ କରିଥିବା ଅଭିଜ୍ଞତାର ପ୍ରଭାବ ଭବିଷ୍ୟତର ବହୁ ଦଶକ ପର୍ଯ୍ୟନ୍ତ ରହିଥାଏ। ଅଧିକ ଅଭିଜ୍ଞତା ହାସଲ କରିବାର ସୁଯୋଗ ହାତଛଡା କରି ଯେଉଁ ପିଲାଟି ଉପରେ ପାରିବାରିକ ଚାପ ଲଦିଦିଆଗଲା, ତାହା ଠିକ୍‌ କଅଁଳ ବାଛୁରୀ କାନ୍ଧରେ ଲଙ୍ଗଳ ଯୋଚିଦେବା ଭଳି କଥା। ସନ୍ତାନଟିଏ ପରିବାରର ଦାୟିତ୍ବ ନିଶ୍ଚିତ ଭାବରେ କାନ୍ଧେଇ ନେବା ଉଚିତ। କିନ୍ତୁ ସେଥିପାଇଁ କାନ୍ଧଟିକୁ ପ୍ରଥମେ ଅଧିକ ଶକ୍ତ କରିବା ଉଚିତ।

ନୂଆ ଚାକିରି ଆରମ୍ଭ କରୁଥିବା ସମସ୍ତଙ୍କୁ ମନେ ରଖିବାକୁ ହେବ ଯେ ଏହା ଫୁର୍ତ୍ତିର ସମୟ ନୁହଁ କିମ୍ବା ଦାୟିତ୍ବର ଜୁଆଳୀରେ ଛନ୍ଦିହୋଇଯିବା ସମୟ ନୁହଁ। ଏହା କର୍ମଜୀବନ ଗଢିବାର ସମୟ। ମୂଳଦୂଆ ଶକ୍ତ ନ ହେଲେ ସଫଳ ଜୀବନର ସୌଧ ତା’ ଉପରେ ଠିଆ ହେବ କେମିତି?

ଆପଣଙ୍କ ପ୍ରଶ୍ନ ପଠାନ୍ତୁ

ଆପଣ ଜାଣିବାକୁ ଚାହୁଁଥିବା ପ୍ରଶ୍ନର ଯଦି କୌଣସି ଉତ୍ତର ନପାନ୍ତି, ତେବେ ଆମ ପାଖକୁ ସିଧାସଳଖ ଲେଖନ୍ତୁ।

captcha image
loading
ଆପଣଙ୍କ ପ୍ରଶ୍ନ ପଠାନ୍ତୁ
rotate

ବର୍ତ୍ତମାନ ଏହି ୱେବସାଇଟକୁ ଲାଣ୍ଡସ୍କେପ୍ ମୋଡରେ ଦେଖି ହେବନାହିଁ। ସଠିକ ଭାବେ ଦେଖିବାକୁ ପୋଟ୍ରେଟ୍ ମୋଡରେ ରଖନ୍ତୁ।